Tuesday, July 23, 2024

Logo
Loading...
google-add

ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣରେ କେ କେ ନାୟରଙ୍କ ଅବଦାନକୁ ମନେରଖିବ ଦେଶ

| 18:27 PM, Thu Nov 09, 2023

ଓଡ଼ିଶା 365 (ବ୍ୟୁରୋ): ଶ୍ରୀରାମ ଜନ୍ମଭୂମି ସହ କେ କେ ନାୟରଙ୍କ ନାମ ସ୍ମୃତି ହୋଇ ରହିଛି । ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣ କଥା ଉଠିଲେ କେ କେ ନାୟରଙ୍କ ବିଷୟରେ ଆଲୋଚନା ହୁଏ । ତାଙ୍କର ଦେଶପ୍ରେମ, ପ୍ରଭୁ ଶ୍ରୀରାମଙ୍କ ପ୍ରତି ଭକ୍ତି ଏବଂ ହିନ୍ଦୁ ଧର୍ମ ପ୍ରତି ଆସ୍ଥା ଇତିହାସ ବକ୍ଷରେ ଲିପିବଦ୍ଧ ହୋଇ ରହିଛି । ପାଞ୍ଚଶହ ବର୍ଷର ଇତିହାସରେ ରାମ ମନ୍ଦିର ପାଇଁ ସଂଘର୍ଷ ଦେଖିଛି ଭାରତ । ଦେଶ ସ୍ବାଧୀନତା ପରେ ମଧ୍ୟ ଶ୍ରୀରାମ ଜନ୍ମଭୂମି ସ୍ଥଳରେ ଶ୍ରୀରାମଙ୍କ ପୂଜା ପାଇଁ ଆଇନଗତ ଲଢ଼େଇ ଦେଖିବାକୁ ମିଳିଛି । ତେବେ ମନ୍ଦିର ନିର୍ମାଣ ପୂର୍ବରୁ ଆସନ୍ତୁ ଜାଣିବା କିଏ ସେ କେ କେ ନାୟାର । ତାଙ୍କୁ କାହିଁକି ଏତେ ସମ୍ମାନ ଆଉ ପ୍ରଶଂସା କରାଯାଉଛି । କାଣ୍ଡଙ୍ଗାଲାଥିଲ କରୁଣାକରନ ନାୟାର ( କେ.କେ ନାୟାର) ସେପ୍ଟେମ୍ବର 11, 1907 ରେ କେରଳରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଜୀବନ କେରଳର ଆଲାପୁଜା ଅନ୍ତର୍ଗତ କୁଟନାଡ ଗାଁରୁ ଆରମ୍ଭ ହୋଇଥିଲା। ରାଜ୍ୟରେ ଶିକ୍ଷା ସମାପ୍ତ କରିବା ପରେ ନାୟାର ଉଚ୍ଚଶିକ୍ଷା ପାଇଁ ଇଂଲଣ୍ଡ ଯାଇ 21 ବର୍ଷ ବୟସରେ ଭାରତୀୟ ସିଭିଲ ସର୍ଭିସ (ଆଇସିଏସ) ପରୀକ୍ଷାରେ ପାସ କରିଥିଲେ ।

ଦେଶ ସ୍ବାଧୀନତା ପୂର୍ବରୁ ସେ ଇଂଲଣ୍ଡ ଯାଇଥିଲେ ଓକିଲାତି ପଢ଼ିବାକୁ । ସେ ବାରିଷ୍ଟର ହେବା ସହ ସହ ଇଂଲଣ୍ଡରେ ଆଇସିଏସ୍ ପରୀକ୍ଷାରେ ସଫଳତାର ସହ କୃତ୍ୟକାର୍ଯ୍ୟ ହୋଇଥିଲେ । ପ୍ରଥମେ ସେ କେରଳରେ କିଛି ଦିନ କାମ କରିଥିଲେ । ତାଙ୍କର ସଚ୍ଚୋଟତା ଏବଂ ସାହସିକତା ପାଇଁ ସେ ଜଣାଶୁଣା ଥିଲେ । ତାଙ୍କର କାର୍ଯ୍ୟପାଇଁ ସେ ଲୋକମାନଙ୍କର ସେବକ ଭାବରେ ସୁନାମ ଅର୍ଜନ କରିଥିଲେ । 1945 ମସିହାରେ ଉତ୍ତରପ୍ରଦେଶ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ। ସେ ବିଭିନ୍ନ ପଦବୀରେ କାର୍ଯ୍ୟ କରିଥିଲେ ଏବଂ ଜୁନ୍ 1, 1949 ରେ ଫୈଜାବାଦର ଡେପୁଟି କମିଶନର ତଥା ଜିଲ୍ଲା ମାଜିଷ୍ଟ୍ରେଟ ଭାବରେ ନିଯୁକ୍ତ ହୋଇଥିଲେ। ସେ ସମୟରେ ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ସ୍ଥାନରେ ପୂଜା କରିବା ପାଇଁ ହିନ୍ଦୁ ପକ୍ଷ ଆନ୍ଦୋଳନ ଆରମ୍ଭ କରିଥିଲେ । ଏହାରି ଭିତରେ ଶ୍ରୀରାମଙ୍କ ମୂର୍ତ୍ତିକୁ ହଠାତ୍ କେହି ପୂଜାସ୍ଥଳରେ ରଖିଥିବା ଅଭିଯୋଗ ହୋଇଥିଲା । ବିବାଦ ବଢ଼ିବାରୁ ସେତେବେଳେ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ରାଜ୍ୟ ସରକାରଙ୍କୁ ଯାଞ୍ଚ କରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ୟୁପି ମୁଖ୍ୟମନ୍ତ୍ରୀ ଗୋବିନ୍ଦ ବଲ୍ଲଭ ପନ୍ତ କେ.କେ.ନାଇରଙ୍କୁ ସେଠାକୁ ଯାଇ ଅନୁସନ୍ଧାନ କରିବାକୁ ଅନୁରୋଧ କରିଥିଲେ।

ନାୟାର ତାଙ୍କ ଅଧସ୍ତନ ଅଧିକାରୀ ଶ୍ରୀ ଗୁରୁ ଦତ୍ତ ସିଂଙ୍କୁ ଯାଞ୍ଚ କରି ରିପୋର୍ଟ ଦାଖଲ କରିବାକୁ କହିଥିଲେ। ଗୁରୁ ଦତ୍ତ ସିଂ ସ୍ଥାନକୁ ଯାଇ ଯାଂଚ କରିଥିଲେ । ପରେ କେ.କେ ନାୟାରଙ୍କୁ ଏକ ବିସ୍ତୃତ ରିପୋର୍ଟ ଉପସ୍ଥାପନ କରିଥିଲେ। ରିପୋର୍ଟ ଅନୁସାରେ ହିନ୍ଦୁମାନେ ଅଯୋଧ୍ୟାଙ୍କୁ ଭଗବାନ ରାମଙ୍କ ଜନ୍ମସ୍ଥାନ ଭାବେ ଗ୍ରହଣ କରିଛନ୍ତି । ସେଠାରେ ସେ ଶ୍ରୀରାମଙ୍କୁ ଶିଶୁ ରୂପରେ ପୂଜା କରୁଛନ୍ତି । କିନ୍ତୁ ମୁସଲମାନମାନେ ସେଠାରେ ମସଜିଦ ଦାବି କରି ସମସ୍ୟା ସୃଷ୍ଟି କରୁଛନ୍ତି। ସବୁଠୁ ବଡ଼ କଥା ହେଲା ରିପୋର୍ଟରେ ସେ ସ୍ଥାନରେ ହିନ୍ଦୁ ମନ୍ଦିର ଥିଲା ବୋଲି ଦର୍ଶାଇଥିଲେ । ହିନ୍ଦୁମାନଙ୍କ ଆସ୍ଥା ଥିବାରୁ ସେଠାରେ ଏକ ବଡ଼ ମନ୍ଦିର ନିର୍ମାଣ କରାଯିବାକୁ ସେ ପରାମର୍ଶ ଦେଇଥିଲଷ । ଏହା ସହ ରିପୋର୍ଟରେ ସେ କହିଥିଲେ ଯେ ସରକାର ଏଥିପାଇଁ ଜମି ଆବଣ୍ଟନ କରିବା ଉଚିତ ଏବଂ ମୁସଲମାନମାନଙ୍କୁ ସେହି ଅଞ୍ଚଳକୁ ଯିବାକୁ ବାରଣ କରାଯିବା ଉଚିତ। ଏହି ରିପୋର୍ଟକୁ ନେଇ ସେ ସମୟରେ ବିବାଦ ବଢ଼ିଥିଲା । ରିପୋର୍ଟକୁ ଆଧାର କରି ଜିଲ୍ଲା ପ୍ରଶାସନ ମୁସଲମାନମାନଙ୍କୁ ମନ୍ଦିରର 500 ମିଟର ପର୍ଯ୍ୟନ୍ତ ଯିବାକୁ ବାରଣ କରିଥିଲେ। ଯାହା କି ଆଜି ପର୍ଯ୍ୟନ୍ତ ଏହି ଆଦେଶ କାର୍ଯ୍ୟକାରୀ ହେଉଛି ।

ତେବେ ରିପୋର୍ଟକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ନେହରୁ । ବିରକ୍ତି ହୋଇ ସେ ଶ୍ରୀରାମଙ୍କ ମୂର୍ତ୍ତିକୁ ସେଠାରୁ ବାହାର କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଗୋବିନ୍ଦ ବଲ୍ଲଭ ପନ୍ତ ନାୟାରଙ୍କୁ ତୁରନ୍ତ ହିନ୍ଦୁମାନଙ୍କୁ ସେ ସ୍ଥାନ ଛାଡି ଚାଲିଯିବା ସହ ରାମ ଲାଲାଙ୍କ ମୂର୍ତ୍ତି ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏପରି ଆଦେଶକୁ ମଧ୍ୟ କେ କେ ନାୟାର ଶୁଣିନଥିଲେ । ନାୟାର ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ ସେ ରୋକଠୋକ ମନା କରିଥିଲେ । ଅନ୍ୟପକ୍ଷରେ, ସେ ଅନ୍ୟ ଏକ ଆଦେଶ ଜାରି କରି କହିଥିଲେ ଶ୍ରରାମଙ୍କ ପୂଜା ପୂଜାରୀ ସବୁଦିନ କରିବା ଉଚିତ । ପୂଜା ପାଇଁ ଖର୍ଚ୍ଚ ଏବଂ ପୂଜା କରିଥିବା ପୁରୋହିତଙ୍କ ଦରମା ସରକାର ବହନ କରିବା ଉଚିତ୍। ଏହି ଆଦେଶରେ ପୁଣି ବିରକ୍ତି ପ୍ରକାଶ କରିଥିଲେ ନେହରୁ । ସେ ତୁରନ୍ତ ନାୟାରଙ୍କୁ ଚାକିରିରୁ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ। ବରଖାସ୍ତ ହେବା ପରେ ନାୟାର ଆହ୍ଲାବାଦ କୋର୍ଟକୁ ଯାଇଥିଲେ ଏବଂ ନିଜେ ନେହେରୁଙ୍କ ବିରୋଧରେ ଲଢ଼ି ବିଜୟୀ ହୋଇଥିଲେ । ନାୟାରଙ୍କୁ ସମାନ ସ୍ଥାନରେ କାମ କରିବାକୁ ଅନୁମତି ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

1962 ମସିହାରେ ଯେତେବେଳେ ସଂସଦ ପାଇଁ ନିର୍ବାଚନ ଘୋଷଣା କରାଯାଇଥିଲା, ସେତେବେଳେ ଲୋକମାନେ ନାୟାର ଏବଂ ତାଙ୍କ ପତ୍ନୀଙ୍କୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମନାଇବାରେ ସଫଳ ହୋଇଥିଲେ । ଲୋକମାନେ ନାୟର ଦମ୍ପତିଙ୍କୁ ଉଭୟ ବାହରାଇଚ ଏବଂ କାଇସରଗଞ୍ଜ ନିର୍ବାଚନମଣ୍ଡଳୀ ଜିତିବାରେ ସାହାଯ୍ୟ କରିଥିଲେ। ଏପରିକି ତାଙ୍କର ଲୋକପ୍ରିୟତା ଏତେ ବଢ଼ିଯାଇଥିଲା ଯେ ତାଙ୍କ ଡ୍ରାଇଭର ମଧ୍ୟ ଫୈସଲାବାଦ ନିର୍ବାଚନମଣ୍ଡଳୀରୁ ରାଜ୍ୟ ବିଧାନସଭା ସଦସ୍ୟ ଭାବରେ ନିର୍ବାଚିତ ହୋଇଥିଲେ। ପରେ ଇନ୍ଦିରା ଗାନ୍ଧୀଙ୍କ ଜରୁରୀକାଳୀନ ପରିସ୍ଥିତି ଲାଗୁ ସମୟରେ ଦମ୍ପତିଙ୍କୁ ଗିରଫ କରି କାରାଗାରରେ ରଖାଯାଇଥିଲା। କିନ୍ତୁ ସେମାନଙ୍କ ଗିରଫ ଅଯୋଧ୍ୟାରେ ଏକ ବଡ଼ ଆନ୍ଦୋଳନ ସୃଷ୍ଟି କରିବାରୁ ସରକାର ସେମାନଙ୍କୁ ଜେଲରୁ ମୁକ୍ତ କରିଥିଲେ। ନାୟାରଙ୍କ ଦ୍ୱାରା ଦିଆଯାଇଥିବା ଆଦେଶ ଆଧାରରେ ପୂଜା ଏବଂ ରାମ ଲାଲାଙ୍କ ଦର୍ଶନ ବର୍ତ୍ତମାନ ମଧ୍ୟ ଜାରି ରହିଛି।

1976 ରେ, ଶ୍ରୀ ନାୟାର ନିଜ ସହରକୁ ଫେରିବାକୁ ଚାହୁଁଥିଲା ବେଳେ ଲୋକମାନେ ଶେଷରେ ଅଶ୍ରୁଳ ଆଖିରେ ନାୟରଙ୍କୁ ବିଦାୟ ଦେଇଥିଲେ । 1977 ରେ ନିଜ ସହରରେ ପରଲୋକ ଗମନ କରିଥିଲେ କେ କେ ନାୟର । ତାଙ୍କ ମୃତ୍ୟୁ ଖବର ଶୁଣିବା ପରେ ଅଯୋଧ୍ୟା ବାସିନ୍ଦା ନିଜର ପ୍ରିୟ ଲୋକଙ୍କୁ ହରାଇ କାନ୍ଦିଥିଲେ। କିଛି ସମର୍ଥକ ତାଙ୍କ ଅସ୍ଥି ଆଣିବାକୁ କେରଳ ଯାଇଥିଲେ। ଏକ ସଜ୍ଜିତ ରଥରେ ନାୟାରଙ୍କ ଅସ୍ଥି ଅଯୋଧ୍ୟା ନିକଟ ସାରୁ ନଦୀରେ ବିସର୍ଜନ କରିଥିଲେ । ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣରେ କେ କେ ନାୟରଙ୍କ ଥିବା ଅବଦାନକୁ ଦେଶ କେବେ ବି ଭୂଲି ପାରିବ ନାହିଁ । ତାଙ୍କ ସ୍ମୃତି ସବୁଦିନ ପାଇଁ ଇତିହାସରେ ସାକ୍ଷୀ ହୋଇ ରହିବ ।

  • Trending Tag

  • No Trending Add This News
google-add
google-add
google-add

ରାଜ୍ୟ ଖବର

google-add

ଆଇନ ଶୃଙ୍ଖଳା

google-add
google-add