Tuesday, July 23, 2024

Logo
Loading...
google-add

ସ୍ୱାଧିନତା ସଂଗ୍ରାମର ମହାନାୟକ ଭଗତ ସିଂ

| 15:43 PM, Thu Sep 28, 2023

ଓଡ଼ିଶା 365 (ବ୍ୟୁରୋ) : ଇତିହାସ ପୃଷ୍ଠାରେ ସ୍ଥାନ ପାଇଛନ୍ତି ଅନେକ ସ୍ୱାଧୀନତା ସଂଗ୍ରାମୀ, କିନ୍ତୁ ତାଙ୍କ ସ୍ଥାନ ସ୍ୱତନ୍ତ୍ର, ଦେଶ ପାଇଁ ମହାନ କାର୍ଯ୍ୟ ପାଇଁ ଆଜି ବି ଲୋକଙ୍କ ହୃଦୟରେ ସେ ଘର କରିଛନ୍ତି। ସେ ପାଲଟିଯାଇଛନ୍ତି ପ୍ରତି ଭାରତୀୟଙ୍କ ପାଇଁ ମହାନାୟକ। ଯାହାଙ୍କ ମହାନ କାର୍ଯ୍ୟ ଭାରତର ଯୁବପିଢିଙ୍କୁ ଆଜିବି ପ୍ରେରଣା ଯୋଗାଉଛି ଦେଶମାତୃକାର ସେବା କରିବାକୁ।ଯାହାଙ୍କ ନାଁ ଶୁଣିଲେ ଭୟରେ ଥରଥର ହେଉଥିଲା ଇଂରେଜ ସେନା।ଜଣେ ମହାନ କ୍ରାନ୍ତିକାରୀ,ଭାରତ ମା’ର ବୀର ସୁପୁତ୍ର,ମହାନ ସଂଗ୍ରାମୀ ସହିଦ ଭଗତ ସିଂ,ଭାରତ ମାକୁ ସ୍ୱାଧୀନତା ଦେବା ପାଇଁ ସେ ହସି ହସି ନିଜ ପ୍ରାଣର ଆହୁତି ଦେଇଥିଲେ । ପାଲଟିଯାଇଥିଲେ ସ୍ୱାଧିନତା ସଂଗ୍ରାମର ମହାନାୟକ। ତାଙ୍କର ତ୍ୟାଗ ବଳିଦାନ ଭାରତର ଯୁବପିଢିମାନଙ୍କୁ ପ୍ରେରଣା ଯୋଗାଇ ଆସୁଛି । ତାଙ୍କ ନାଁ ଶୁଣିବା ମାତ୍ରେ ଜାଗିଉଠୁଛି ଦେଶ ପ୍ରେମର ଭାବନା। ବନ୍ଦେ ମାତାରାମ, ବନ୍ଦେ ମାତାରାମ, ଏହି ନାରା ଦେଇ ସେ ଇଂରେଜଙ୍କ ଆଗରେ ଛାତି ଉଚ୍ଚା କରି ଛିଡା ହେଉଥିଲେ । ଆଉ ଇଂରେଜଙ୍କ ବିରୋଧରେ ଲଢେଇ କରିଥିଲେ ।

ଦେଶ ମାତୃକା ପାଇଁ ତାଙ୍କ ବଳିଦାନକୁ ଆଜି ବି ଭୁଲି ନାହିଁ ଦେଶ । ଭଗତ ସିଂଙ୍କ ବୀର ଗାଥାକୁ ମନେ ପକାଇଲେ ଆଜି ବି ପ୍ରତିଟି ଭାରତୀୟଙ୍କ ଲୋମ ଟାଙ୍କୁରି ଉଠେ । ତାଙ୍କ ପିତାମାତା ତାଙ୍କର ବାହାଘର କରାଇବାକୁ ଚାଁହୁଥିଲେ, ହେଲେ ସେ ଘର ଛାଡି ପଳାଇଥିଲେ ଏବଂ ପଛରେ ଏକ ଚିଠି ଛାଡି ଦେଇଥିଲେ । ସେଥିରେ ଏହା ଲେଖା ହୋଇଥିଲା । ମୋର ଜୀବନକୁ ମୁଁ ଏକ ମହାନତମ କାମରେ ଉତ୍ସର୍ଗ କରିସାରିଛି, ତାହା ହେଉଛି ଦେଶର ସ୍ୱାଧୀନତା । ସେଥିପାଇଁ କୌଣସି ଇଛା ବା ଆରାମ ମୋତେ ପ୍ରଲୋଭିତ କରିପାରିବ ନାହିଁ । ଏଥିରୁ ତାଙ୍କ ଦେଶମାତୃକାର କଥା ମନେ ପଡେ। ଭଗତ ସିଂହଙ୍କର ଆଦର୍ଶ ଥିଲେ କର୍ତ୍ତାର ସିଂହ ସରାଭା, ଯିଏକି ଗର୍ଦାର ପାର୍ଟିର ପ୍ରତିଷ୍ଠାତା ଥିଲେ । ସେ ବିପ୍ଳବବାଦ ଏବଂ ସାମ୍ୟବାଦ ଆଡ଼କୁ ଆକୃଷ୍ଟ ଥିଲେ । ସେ ବିଶ୍ୱାସ ରଖୁଥିଲେ କି ଗୋଟିଏ ମନୁଷ୍ୟ ବା ଲକ୍ଷ୍ୟ ଲକ୍ଷ୍ୟ ମନୁଷ୍ୟଙ୍କୁ ମାରିଦେବା ସହଜ କିନ୍ତୁ ଏକ ଚିନ୍ତାଧାରା ବା ବିଚାରକୁ ମାରିବା ଅସମ୍ଭବ ।

୧୯୨୮ରେ, ସାଇମନ୍ କମିଶନଙ୍କ ବିରୋଧରେ ଲାଟିଚାର୍ଜ ଯୋଗୁଁ ଲାଲା ଲଜପତ ରାୟଙ୍କର ମୃତ୍ୟୁ ହୋଇଥିଲା। ଲାଲାଜୀଙ୍କ ମୃତ୍ୟୁ ଭଗତ ସିଂଙ୍କୁ ବହୁତ କ୍ରୋଧ ଏବଂ ଦୁଃଖରେ ଭରି ଦେଇଥିଲା। ସେ ଲାଲାଜୀଙ୍କ ମୃତ୍ୟୁ ପାଇଁ ଦାୟୀ ପୋଲିସ ଅଧୀକ୍ଷକ ସ୍କଟଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ ଏବଂ ଲାହୋରରେ ରାଜଗୁରୁ ଓ ଚନ୍ଦ୍ରଶେଖର ଆଜାଦଙ୍କ ସହ ମିଶି ଏସ୍‌ପି ସାଣ୍ଡର୍ସଙ୍କୁ ଗୁଳି କରି ହତ୍ୟା କରିଥିଲେ। ନିଜ ଆଖିରେ ସେ ଦେଖିଥିଲେ ୧୯୧୯ ମସିହା ଜାଲିଆନାୱାଲା ବାଗ ହତ୍ୟାକାଣ୍ଡର ସେହି ଭୟଙ୍କର ଦୃଶ୍ୟ । କୁହାଯାଏ ଭଗତ ସିଂ ୪୦ କିଲୋମିଟର ପାଦରେ ଚାଲି ନିଜ ଦେଶବାସୀଙ୍କ ରକ୍ତ ଭିଜା ମାଟିକୁ ଦେଖିବାକୁ ଜାଲିଆନାୱାଲା ବାଗରେ ପହଞ୍ଚିଥିଲେ । ସେତେବେଳ ସମୟରେ ଭଗତ ସିଂହଙ୍କ ନାଁ ଶୁଣିଲେ ଇଂରେଜମାନେ ଭୟଭିତ ହୋଇ ଉଠୁଥିଲେ । ସମୟାନୁକ୍ରମେ ସେ ଗାନ୍ଧୀଜୀଙ୍କର ଅହିଂସା ନୀତିରୁ ଓହରିଯାଇ ହିଂସା ଏବଂ ବନ୍ଧୁକ ମୁନରେ ହିଁ କେବଳ ରାଜନୈତିକ ସ୍ୱାଧୀନତା ମିଳିବବୋଲି ବିଶ୍ୱାସ ରଖିଥିଲେ ।

ଭଗତ ସିଂହ ସେପ୍ଟେମ୍ବର୨୮, ୧୯୦୭ ମସିହା ପଞ୍ଜାବର ଲାୟପୁରରେ ଏକ ଶିଖ ପରିବାରରେ ଜନ୍ମଗ୍ରହଣ କରିଥିଲେ । ପାଞ୍ଚ ଭାଇ ତିନି ଭଉଣି ମଧ୍ୟରେ ସେ ଥିଲେ ବିଚକ୍ଷଣ। ତାଙ୍କ ପିତାଙ୍କ ନାମ ଥିଲା ସରଦାର କିସାନ ସିଂହ ସାଧୁ ଏବଂ ମାତା ବିଦ୍ୟାବତୀ । ଭଗତ ସିଂହଙ୍କ ପରିବାର ପୂର୍ବରୁ ହିଁ ଦେଶପ୍ରେମୀ ଥିଲେ ଏବଂ ଦେଶ ପାଇଁ ଲଢି ଆସୁଥିଲେ । ଭଗତ ସିଂହଙ୍କ ଜନ୍ମ ସମୟରେ ତାଙ୍କ ପିତା ଏବଂ ତାଙ୍କର ଦୁଇ ଦାଦା ଜେଲରେ ବନ୍ଦି ହୋଇ ରହିଥିଲେ । ବାପା ଦାଦାଙ୍କ ଭଳି ଭଗତ ସିଂହଙ୍କ ଭିତରେ ବି ଛୋଟ ବେଳୁ ଦେଶପ୍ରେମ ଭରି ହୋଇ ରହିଥିଲା ।ଭଗତ ସିଂହ ଧିରେ ଧିରେ ବଡ ହୋଇ ଇଂରେଜମାନଙ୍କ ବିରୁଦ୍ଧରେ ଆନ୍ଦୋଳନ କରିବାକୁ ଲାଗିଥିଲେ । ଭଗତ ସିଂ ଏଭଳି ପରିବେଶରେ ବଢିଥିଲେ ଯେଉଁଠି କେବଳ ଆଜାଦିର ସ୍ୱର ପ୍ରତିଦିନ ଗୁଞ୍ଜରି ଉଠୁଥିଲା । ଭଗତି ସିଂଙ୍କ ପରିବାର ଦେଶର ସ୍ୱାଧୀନତା ପାଇଁ ଲଢେଇ କରୁଥିଲେ । ଏଥିପାଇଁ ତାଙ୍କ ବାପା ଓ ଦାଦା ଜେଲରେ ବନ୍ଦୀ ମଧ୍ୟ ରହିଥିଲେ । ତେବେ ପିଲା ବେଳୁ ଏହି ପରିବେଶ ସହ ନିଜକୁ ମଜବୁତ କରିଥିଲେ ଭଗତ ସିଂ । ପିଲାବେଳୁ ତାଙ୍କ ଭିତରେ ଦେଶପ୍ରେମ ଜାଗ୍ରତ ହୋଇଥିଲା ।

ଭଗତ ସିଂହ ୧୩ ବର୍ଷ ବୟସରେ ପାଠପଢ଼ା ଛାଡ଼ି ଭାରତର ସ୍ୱାଧୀନତା ସଂଗ୍ରାମରେ ନିଜର ଜୀବନ ଉତ୍ସର୍ଗ କରିଦେଇଥିଲେ ।ଭଗତ ସିଂହ ଲାଲାଜୀ ଥିବା ଏହି ହିନ୍ଦୁସ୍ଥାନ ରିପବ୍ଲିକାନ ଆସୋସିଏସନର ଜଣେ ପ୍ରମୁଖ ସଦସ୍ୟ ଥିଲେ । ଭାରତକୁ ଆଜାଦି ଦେବା ପାଇଁ ଅନେକ ସଂଗଠନରେ ଯୋଗ ଦେଇ ଇଂରେଜ ମାନଙ୍କ ବିରୁଦ୍ଧରେ ଲଢୁଥିଲେ । କାଳ କ୍ରମେ ଭଗତ ସିଂହ ଇଂରେଜମାନଙ୍କ ପାଇଁ ପାଲଟିଗଲେ ମୁଁଣ୍ଡ ବିନ୍ଧା କାରଣ। ଭଗତ ସିଂଙ୍କୁ ରାସ୍ତାରୁ ହଟାଇବା ପାଇଁ ଇଂରେଜମାନେ ଭଗତ ଏବଂ ତାଙ୍କର କେତେକ ସାଥୀଙ୍କୁ ବନ୍ଦି କରି ଜେଲରେ ଭର୍ତି କରିଦେଇଥିଲେ।ଜେଲର ଚାରିକାନ୍ଥ ଭିତରେ ରହି ଇଂରେଜଙ୍କ ନିଦ ହଜାଇଦେଲେ । ଭଗତ ସିଂ ନିଜର ଦାବି ପୁରା କରିବା ପାଇଁ ଏକ ପତ୍ର ଭାରତ ସରକାରଙ୍କ ଗୁରୁ ସଦସ୍ୟଙ୍କ ପାଖକୁ ପଠାଇଥିଲେ । ସେଥିରେ ଲେଖାଥିଲା, ରାଜନୈତିକ କଏଦି ହୋଇଥିବା କାରଣରୁ ଆମକୁ ମଧ୍ୟ ଭଲ ଖାଦ୍ୟ ଖାଇବାକୁ ଦିଆଯାଉ । ଏଥିପାଇଁ ଆମର ଖାଦ୍ୟ ମଧ୍ୟ ୟୁରୋପିଆନ କଏଦିଙ୍କ ଖାଦ୍ୟ ଭଳି ହେବା ଆବଶ୍ୟକ । ଆମକୁ ଜେଲରେ କାମ କରିବାକୁ କୁହାନଯାଉ । ଏହି ଭଳି ଅନେକ ଦାବି କରି ଅନସନ ଆରମ୍ଭ କରିଥିଲେ ଭଗତ ।

କେବଳ ଭଗତ ନୁହେଁ ଭଗତଙ୍କ ଅନ୍ୟ ସାଥୀମାନେ ଶୁକଦେବ ଓ ରାଜଗୁରୁ ମଧ୍ୟ ଏହି ଅନସନରେ ସାମିଲ ହୋଇଥିଲେ । ସରକାରଙ୍କ ପାଇଁ ଏହି ଅନସନ ଏକ ମୁଣ୍ଡବିନ୍ଧାର କାରଣ ପାଲଟିଯାଇଥିଲା । ସେପଟେ ପ୍ରତିଦିନ ଭଗତ ସିଂହଙ୍କ ଶରୀରର ଓଜନ ୫ ପାଉଣ୍ଡ ଲେଖାଏ କମିବାକୁ ଲାଗିଥିଲା । ୨ ସେପ୍ଟେମ୍ବର ୧୯୨୯ରେ ସରକାର ଜେଲ ଇନକ୍ୱାରି କମିଟି ସ୍ଥାପନା କଲେ । ୧୩ ସେପ୍ଟେମ୍ବର ବେଳକୁ ଏହି ଆନ୍ଦୋଳନ ଭୟଙ୍କର ରୁପ ନେଇଥିଲା । ଏହି ଆନ୍ଦୋଳନରେ ଭଗତ ସିଂହଙ୍କ କେତେକ ମିତ୍ର ଭୋକ ଉପାସରେ ସହିଦ ହୋଇଗଲେ । ପ୍ରାୟ ୧୧୪ ଦିନ ଅନସନରେ ବସିବା ପରେ ଭଗତ ସିଂହ ଏବଂ ତାଙ୍କ ସାଥୀମାନେ ରୁଟି ଏବଂ ଡାଲି ଖାଇ ଅନସନକୁ ସମାପ୍ତ କରିଥିଲେ । ଭଗତ ସିଂ ଜେଲରେ ରହି ମଧ୍ୟ ତାଙ୍କର ଦୁଃସାହସିକ କାର୍ଯ୍ୟକ୍ରମ ବନ୍ଦ କରିନଥିଲେ । ତେଣୁ ବ୍ରିଟିସ ସରକାର ଏହି ମାମଲାକୁ ତୁରନ୍ତ ସମାଧାନ କରିବାକୁ ଚାହୁଁଥିଲେ । 

ବ୍ରିଟିସ ସରକାର ମେ ୧ ତାରିଖ ୧୯୩୦ରେ ଏକ ଟ୍ରିବୁନାଲ ବୈଠକ ଡକାଇଥିଲେ । ସେହି ବୈଠକରେ ଏକ ତରଫା ନିଷ୍ପତି ନିଆଯାଇ ୭ ଅକ୍ଟବର ୧୯୩୦ରେ ଭଗତ ସିଂ ଏବଂ ତାଙ୍କ ସାଥୀଙ୍କ ବିରୁଦ୍ଧରେ ଶୁଣାଣି ହୋଇଥିଲା । ଏହି ଶୁଣାଣିରେ ଭଗତ ସିଂ, ସୁଖଦେବ ଏବଂ ରାଜଗୁରଙ୍କୁ ଫାସି ଦଣ୍ଡରେ ଦଣ୍ଡିତ କରିବା ସହ ତାଙ୍କ ଅନ୍ୟ ସାଥୀମାନଙ୍କୁ କଳାପାଣି ଦଣ୍ଡରେ ଦଣ୍ଡିତ କରିଥିଲେ । ବୈଠକର ନିଷ୍ପତି ଅନୁଯାୟୀ, ୨୪ ମାର୍ଚ୍ଚ ୧୯୩୧ରେ ଭଗତଙ୍କୁ ଫାଶୀ ଦିଆଯିବାର ନିଷ୍ପର୍ତ୍ତି ନିଆଯାଇଥିଲା । କିନ୍ତୁ ଜନ ଆନ୍ଦୋଳନକୁ ଆଖିଆଗରେ ରଖି ମାର୍ଚ୍ଚ ୨୩ ତାରିଖ ସନ୍ଧ୍ୟା ୭ଟା ୩୩ ମିନିଟରେ ଭଗତ ସିଂ, ସୁଖଦେବ ଏବଂ ରାଜଗୁରୁଙ୍କୁ ଫାଶୀ ଦିଆଯାଇଥିଲା । ୨୩ ମାର୍ଚ୍ଚ ୧୯୩୧ରେ ଦେଶ ପାଇଁ ଲଢ଼ି ମାତ୍ର ୨୩ ବର୍ଷ ବୟସରେ ହସି ହସି ଫାଶୀ ଖୁଣ୍ଟିରେ ଝୁଲିପଡିଥିଲେ। ତାଙ୍କ ତ୍ୟାଗ,ବଳିଦାନ ଆଜି ସଭିଙ୍କୁ ପ୍ରେରଣା ଯୋଗାଉଛି। ମନେ ପଡୁଛନ୍ତି ମହାନ ସଂଗ୍ରାମୀ ଦେଶସେବକ ସହିଦ ଭଗତ ସିଂ।

  • Trending Tag

  • No Trending Add This News
google-add
google-add
google-add

ଆଜିର ଷ୍ଟୋରୀ

google-add

ରାଜ୍ୟ ଖବର

google-add

ଆଇନ ଶୃଙ୍ଖଳା

google-add
google-add
google-add