ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣରେ କେ କେ ନାୟରଙ୍କ ଅବଦାନକୁ ମନେରଖିବ ଦେଶ
ଗୀତ ଥିଲା ଲତାଙ୍କ ଜୀବନ ମନ୍ତ୍ର
ଓଡ଼ିଶା 365 (ବ୍ୟୁରୋ) : ସଂଙ୍ଗୀତ ଥିଲା ତାଙ୍କ ଜୀବନର ତପସ୍ୟା। ତାଙ୍କ ସୁମଧୁର କଣ୍ଠ ସ୍ୱର ସଭିଁଙ୍କୁ କରୁଥିଲା ଆନମୋନା। ତାଙ୍କ ଗୀତ ଶୁଣିବା ମାତ୍ରେ ବାଟରେ ଅଟକିଯାଉଥିଲା ବାଟୋଇ। ସେ ଥିଲେ କୋକିଳ କଣ୍ଠୀ, ସୁର ସମ୍ରାଜ୍ଞୀ ତାଙ୍କ ସ୍ୱରରେ ବିଜେ କରିଥିଲେ ମା ସରସ୍ୱତୀ । ତାଙ୍କ ସୁମଧୁର ସଂଙ୍ଗୀତ ଲାଗି ସାରା ବିଶ୍ୱରେ ସେ ହୋଇପାରିଥିଲେ ସଭିଙ୍କ ପ୍ରିୟ। ଭାରତ ରତ୍ନ ଲତା ମଙ୍ଗେସକର । ସେପ୍ଟମ୍ୱର ୨୮,୧୯୨୯ ମସିହାରେ ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଜନ୍ମଗ୍ରହଣ କରିଥିଲେ ଲତା ମଙ୍ଗେସକର । ତାଙ୍କ ପିତା ଦିନାନାଥ ମଙ୍ଗେସକର ଜଣେ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ଓ ଥିଏଟର କଳାକାର ଥିଲେ । ପିଲା ବେଳୁ ହିଁ ସଙ୍ଗୀତ ପ୍ରତି ମନ ବଳାଇଥିଲେ ଲତା । ପାଠରେ ତାଙ୍କର ଡୋରିବନ୍ଧାହୋଇଥିଲା କିନ୍ତୁ ସଂଙ୍ଗୀତ ତାଙ୍କ ଜୀବନ ବୋଲି ସେ ଭାବିନେଇଥିଲେ। ସେ ପିଲାବେଳୁ ଭାଇ ଓ ଭଉଣୀମାନଙ୍କ ମିଶି ସଂଙ୍ଗୀତ ଶିଖୁଥିଲେ। ଲତାଙ୍କୁ ୧୩ ବର୍ଷ ବୟସ ହୋଇଥିବା ବେଳେ ହୃଦଘାତରେ ବାପାଙ୍କ ଦେହାନ୍ତ ପରେ ପରିବାର ଚଳାଇବା ପାଇଁ ଶେଷରେ ୧୯୪୨ ମସିହାରେ ସଙ୍ଗୀତ ଜଗତରେ ପାଦ ଦେଇଥିଲେ ଲତା ମଙ୍ଗେସକର । ଆରମ୍ଭ ହୋଇଥିଲା ଯାତ୍ରୀ। ୧୯୪୨ରୁ ୧୯୪୮ ମସିହା ମଧ୍ୟରେ ଲତା ମଙ୍ଗେସକର ହିନ୍ଦି ଓ ମରାଠୀ ଭାଷାରେ ୮ଟି ସଙ୍ଗୀତରେ କଣ୍ଠଦାନ କରିଥିଲେ ।
୧୯୪୨ ମସିହାରେ ମରାଠୀ ଚଳଚ୍ଚିତ୍ର କିଟ୍ଟି ହାସଲରୁ ସେ ଗାୟିକା ଭାବେ କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ମଜବୁର, ବେଦର୍ଦ ଭଳି ଦୁଇଟି ଚଳଚ୍ଚିତ୍ରରେ ଗୀତ ଗାଇ ପରିଚିତ ହେବା ପରେ ପୂରା ସଙ୍ଗୀତ ଜଗତରେ ଛାଇ ଯାଇଥିଲେ ଲତା ।୧୯୬୩ ମସିହାରେ ହୋଇଥିବା ଭାରତ-ଚୀନ ଯୁଦ୍ଧ ସମୟରେ ଲତାଙ୍କ ଗୀତ ଏ ମେରେ ବତନ କେ ଲୋଗୋଁ ଅନେକ ଲୋକଙ୍କ ମନକୁ ଛୁଇଁଥିଲା । ସେତେବେଳର ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଏହି ଗୀତ ଶୁଣି ଭାବବିହ୍ୱଳ ହୋଇପଡିଥିଲେ । ଏହି ଗୀତ ପାଇଁ ତାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହାପରେ ଲତା ମଙ୍ଗେସକରଙ୍କ ଲଗଜା ଗଲେ, ପ୍ୟାର କା ନଗମା, ସିସା ହୋ ୟା ଦିଲ, ତେରେ ବିନା ଜିନ୍ଦେଗୀ ସେ କୋଇ ସିଖବା ନେହିଁ ଭଳି ଗୀତ ଗାଇ ଘରେ ଘରେ ପରିଚିତ ହୋଇଥିଲେ ସେ । ସାଉଁଟିଥିଲେ ଭଲପାଇବା ।
ନିଜ କ୍ୟାରିୟର ଭିତରେ ଭାରତୀୟ ସିନେମାକୁ ଅନେକ ସଙ୍ଗୀତ ଭେଟି ଦେଇଛନ୍ତି ଲତା ମଙ୍ଗେସକର । ସଙ୍ଗୀତକ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ମିଳିଛି ଅନେକ ସମ୍ମାନ। ୧୯୫୮ ମସିହାରେ ତାଙ୍କୁ ମିଳିଥିଲା ପ୍ରଥମ ଫିଲ୍ମ ଫେୟାର ଆୱାର୍ଡ। ୧୯୬୯ରେ ପଦ୍ମ ଭୂଷଣ,୧୯୮୯ରେ ଦାଦା ସାହେବ ଫାଲକେ ଆୱାର୍ଡ,୧୯୯୩ରେ ଜୀବନ ବ୍ୟାପି ସାଧନା ପୁରସ୍କାର,୧୯୯୭ରେ ମହାରାଷ୍ଟ୍ର ଭୂଷଣ,୧୯୯୯ ମସିହାରେ- ପଦ୍ମ ବିଭୂଷଣ ପୁରସ୍କାର ମିଳିଥିବାବେଳେ, ୨୦୦୯ ମସିହାରେ- ୩ଟି ଜାତୀୟ ଚଳଚ୍ଚିତ୍ର ସମ୍ମାନ ମିଳିଥିଲା। ସଂଙ୍ଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୦୧ ମସିହାରେ ତାଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିଥିଲେ ଭାରତ ସରକାର। ସଙ୍ଗୀତ ଜଗତର କିମ୍ବଦନ୍ତୀ କୋକିଳ କଣ୍ଠୀ ଲତା ମଙ୍ଗେସକରଙ୍କୁ ଝୁରୁଛି ସାରାଦେଶ।
Trending Tag