Tuesday, July 23, 2024

Logo
Loading...
google-add

INTERVIEWS AND PANEL DISCUSSION

News365

ଗୃହପତ୍ନୀଙ୍କ ମୂଲ୍ୟାୟନ

Editor | 13:40 PM, Fri Jul 14, 2023

ଆମ ପରମ୍ପରାରେ ଗୃହପତ୍ନୀ ଏକ ମହାନ୍‌ ଆନନ୍ଦଦାୟୀ ବ୍ୟକ୍ତିତ୍ୱ। ତହିଁରେ ପ୍ରତିଫଳିତ ହେଉଥାଏ ପତିଙ୍କ ପାଇଁ ପ୍ରେମ, ଗୁରୁଜନମାନଙ୍କ ପାଇଁ ଭକ୍ତି, ଲଘୁଜନମାନଙ୍କ ପ୍ରତି ଶ୍ରଦ୍ଧା ଏବଂ ପୁତ୍ରକନ୍ୟାଙ୍କ ପାଇଁ ସମର୍ପଣଭାବ। ଏହା ବ୍ୟତୀତ ସାମଗ୍ରିକଭାବେ ପରିବାରର ସଭିଙ୍କ ଯତ୍ନନେବାଠାରୁ ଆରମ୍ଭକରି ଏହାର ସୁପରିଚାଳନାକୁ ସେ ସହାସ୍ୟବଦନରେ ଗ୍ରହଣ କରିଥାନ୍ତି ନିଜର ପବିତ୍ର ଦାୟିତ୍ୱ ରୂପେ। ସେଥିପାଇଁ ତାଙ୍କୁ ତୁଳନା କରାଯାଏ ଲକ୍ଷ୍ମୀଦେବୀଙ୍କ ସହ ଅର୍ଥାତ୍‌ ସେ ହେଲେ ଗୃହଲକ୍ଷ୍ମୀ। ଏଭଳି ଜଣେ ବ୍ୟକ୍ତିତ୍ୱଙ୍କ ଆର୍ଥିକ ମୂଲ୍ୟାୟନ କଦାପି ସମ୍ଭବ ନୁହେଁ, ସେ ଅକଳନୀୟ। ସମୟ ବଦଳିବା ସହ ଏବେ ବଦଳିଚାଲିଛି ଆମ ମାନସିକତା। ତାହା କ୍ରମଶଃ ଅଧିକରୁ ଅଧିକ ବସ୍ତୁବାଦୀ ହେବାରେ ଲାଗିଛି। ଏଣୁ ବର୍ତ୍ତମାନ ପରିବାରର ସେହି ପୁରୁଣା ଅବବୋଧ ଆଉ ନାହିଁ। ପାରିବାରିକ ସମ୍ପର୍କ ବିଜଡ଼ିତ ହୋଇଗଲାଣି ବ୍ୟକ୍ତିଗତ ସ୍ବାର୍ଥ ସହ। ଫଳରେ ବଦଳିଯାଇଛି ଗୃହପତ୍ନୀଙ୍କ ଭାବମୂର୍ତ୍ତି ଏବଂ ତାଙ୍କ ପ୍ରତି ଆମର ଦୃଷ୍ଟିକୋଣ। ପୁନଶ୍ଚ ପ୍ରତ୍ୟେକ ବ୍ୟକ୍ତିର ବ୍ୟକ୍ତିତ୍ୱକୁ ଆମେ ମୂଲ୍ୟାୟନ କରିବାକୁ ଲାଗିଛୁ ତାଙ୍କ ଆର୍ଥିକ ଆୟ ବିଚାରକୁ ନେଇ। ଏ ଦୃଷ୍ଟିରୁ ଜଣେ ପାରମ୍ପରିକ ଗୃହପତ୍ନୀଙ୍କ ମୂଲ୍ୟ ଶୂନ୍ୟ ବୋଲି ମନେହେବା ସ୍ବାଭାବିକ। କାରଣ, ତାଙ୍କର ସମସ୍ତ ଉତ୍ସର୍ଗୀକୃତ କାର୍ଯ୍ୟକଳାପରୁ କୌଣସି ଆର୍ଥିକ ଆୟ ହୁଏ ନାହିଁ। କେବଳ ଗୃହକର୍ମରେ ସମ୍ପୂର୍ଣ୍ଣ ରୂପେ ଲିପ୍ତ ରହୁଥିବା ବିବାହିତା ମହିଳାଙ୍କୁ ସାଧାରଣତଃ ଆମେ ଗୃହପତ୍ନୀ ବୋଲି କହିଥାଉ। ଏକ ଆକଳନ (୨୦୨୧) ଅନୁସାରେ ଆମ ଦେଶରେ ବିବାହିତା ମହିଳାଙ୍କ ସଂଖ୍ୟା ପ୍ରାୟ ୧୬୦ ନିୟୁତ। ସେମାନଙ୍କ ମଧ୍ୟରୁ ମାତ୍ର ୧୦/୧୨ ନିୟୁତ ଚାକିରି କିମ୍ବା ଅନ୍ୟ କିଛି ଆର୍ଥିକ ଆୟକାରୀ କାର୍ଯ୍ୟରେ ଲିପ୍ତ ଥିବାବେଳେ ଅବଶିଷ୍ଟ ଥିଲେ ଗୃହପତ୍ନୀ। ଏମାନେ ତାଙ୍କର ପ୍ରାୟ ସମୟ ନାନାଦି ଗୃହକର୍ମରେ ଅତିବାହିତ କରୁଥିଲେ ହେଁ ସେମାନଙ୍କୁ ଆମେ ଆୟକାରୀ ରୂପେ ଗଣନା କରୁନାହୁଁ। ତେବେ, ଗଭୀର ଭାବେ ଚିନ୍ତାକଲେ ସ୍ପଷ୍ଟ ପ୍ରତୀୟମାନ ହୁଏ ଯେ ଏସବୁ କାର୍ଯ୍ୟର ମଧ୍ୟ ଅର୍ଥନୈତିକ ମୂଲ୍ୟ ରହିଛି।


ଏ କଥା ପ୍ରଥମେ ସର୍ବସାଧାରଣଙ୍କ ମନକୁ ଛୁଇଁଥିଲା ଯେତେବେଳେ ଜଣେ ଗୃହପତ୍ନୀଙ୍କର ଏକ ଦୁର୍ଘଟଣାରେ ମୃତ୍ୟୁ ହେଲା ପରେ ତାଙ୍କ ପରିବାରବର୍ଗ ୧୯୮୭ରେ ପଞ୍ଜାବ ଉଚ୍ଚ ନ୍ୟାୟାଳୟରେ ମକଦ୍ଦମାଟିଏ ରୁଜୁ କରିଥିଲେ। ମୃତକଙ୍କ ବୟସ, ସେ ପରିବାର ପାଇଁ କରିଥିବା ସବୁପ୍ରକାର କାର୍ଯ୍ୟ ଇତ୍ୟାଦି ବିଚାରକୁ ନେଇ ନ୍ୟାୟାଳୟ ଏହି ରାଶି ୫୦ ହଜାର ଟଙ୍କାରେ ସ୍ଥିର କରିଥିଲେ। ସେହିପରି ୨୦୦୦ ମସିହାରେ ସେହି ପ୍ରକାର ଅନ୍ୟ ଏକ ମାମଲାରେ ବିହାରର ପାଟନା ଉଚ୍ଚ ନ୍ୟାୟାଳୟ ଗୃହପତ୍ନୀଙ୍କ ବୟସ, ତାଙ୍କର ସାମାଜିକ ସ୍ଥିତି, ପାରିବାରିକ ଏବଂ ସାମାଜିକ ଦାୟିତ୍ୱ ଆଦି ଆକଳନକରି ବାର୍ଷିକ କ୍ଷତିପୂରଣ ୧୬,୦୦୦ରୁ ୨୦,୦୦୦ ଟଙ୍କା ବୋଲି ନିର୍ଦ୍ଧାରଣ କଲେ। ଏହାପରେ ୨୦୨୧ ମସିହାରେ କୀର୍ତ୍ତି ବନାମ ଓରିଏଣ୍ଟାଲ ଇନ୍‌ସ୍ୟୁରାନ୍ସ କମ୍ପାନୀ ମାମଲାରେ ଉଚ୍ଚତମ ନ୍ୟାୟାଳୟ ଏଥିପାଇଁ କେଉଁ ସବୁ ବିଷୟ ବିଚାରକୁ ନିଆଯିବ ତାହାର ଏକ ମାର୍ଗଦର୍ଶିକା ଜାରିକଲେ। ଅତଏବ ଏହାରି ମାଧ୍ୟମରେ ମୂଲ୍ୟାୟନ ଜଣେ ଗୃହପତ୍ନୀଙ୍କ ମୂଲ୍ୟ ବୋଲି କୁହାଗଲା। ଏଥି ଅନୁସାରେ ଏକ ନିର୍ଦ୍ଦିଷ୍ଟ ମାମଲାରେ ‘ମୋଟର ଆକ୍‌ସିଡେଣ୍ଟ କ୍ଲେମସ୍‌ ଟ୍ରିବ୍ୟୁନାଲ’ ଏ କ୍ଷତିପୂରଣ ୪୬ ଲକ୍ଷ ଟଙ୍କାରେ ସ୍ଥିର କଲାବେଳେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ତାହାକୁ ୨୨ ଲକ୍ଷକୁ ହ୍ରାସ କରିଥିଲା।
ଇତିମଧ୍ୟରେ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ, ମାନବାଧିକାର ସଂସ୍ଥା ଏବଂ ବହୁ ଅର୍ଥନୀତିଜ୍ଞ ଓ ଆଇନଜୀବୀ ଏହା ଉପରେ ଚିନ୍ତା କରିବାକୁ ଲାଗିଲେ। ସେମାନେ ଯୁକ୍ତି ବାଢ଼ିଲେ ଯେ ଗୃହପତ୍ନୀ ପ୍ରକୃତରେ ହେଉଛନ୍ତି ସମାଜର ମେରୁଦଣ୍ଡ। ଜାତିସଂଘର ଆକଳନ ଅନୁସାରେ ସାରା ବିଶ୍ୱରେ ସମ୍ପୂର୍ଣ୍ଣ ଘରୋଇ ଉତ୍ପାଦ (ଗ୍ରସ୍‌ ଡୋମେଷ୍ଟିକ୍‌ ପ୍ରଡକ୍ଟ ବା ଜିଡିପି)ର ପ୍ରାୟ ୩୯% ଆସିଥାଏ ସେମାନଙ୍କ ମଜୁରିବିହୀନ ଗୃହକର୍ମରୁ। ଅତଏବ ତାହା ସେହି ଅନୁସାରେ ନିର୍ଦ୍ଧାରିତ ହେବା ଉଚିତ। ଅନ୍ୟପକ୍ଷେ ନିକଟରେ (ମାର୍ଚ୍ଚ ୨୦୨୩) ଷ୍ଟେଟ୍‌ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଏକ ରିପୋର୍ଟରେ ସୂଚିତ କରାଯାଇଛି ଯେ ଆମ ଦେଶରେ ଜଣେ ଗୃହପତ୍ନୀ ଦିନକୁ ହାରାହାରି ୭.୨ ଘଣ୍ଟା ଘରୋଇ କାର୍ଯ୍ୟରେ ନିୟୋଜିତ ରହନ୍ତି। ଅର୍ଥନୈତିକ ଦୃଷ୍ଟିକୋଣରୁ ଆକଳନକଲେ ଏହା ହେବ ପ୍ରାୟ ୨୨.୭ ଲକ୍ଷ କୋଟି ଟଙ୍କା (ଗ୍ରାମାଞ୍ଚଳରୁ ୧୪.୭ ଲକ୍ଷ କୋଟି ଏବଂ ସହରାଞ୍ଚଳରୁ ୮ଲକ୍ଷ କୋଟି)। ଅତଏବ ଜଣେ ଗୃହପତ୍ନୀଙ୍କ ଆର୍ଥତ୍କ ଅବଦାନ ସେହି ଅନୁସାରେ ଆକଳନ ହେବା ଉଚିତ। ୨୦୨୧ ଅଗଷ୍ଟ ୧୮ ସଂଖ୍ୟା ‘ଇକୋନୋମିକ୍ସ’ ପତ୍ରିକାର ‘ଦ ଇକୋନୋମିକ୍‌ ଓର୍‌ଥ ଅଫ୍‌ ହାଉସ୍‌ ଓ୍ବାଇଫ୍‌ ’ ଶୀର୍ଷକ ନିବନ୍ଧରେ ତାଙ୍କର ପ୍ରତ୍ୟେକ କାର୍ଯ୍ୟର ଅଲଗା ଅଲଗା ଭାବେ ମୂଲ୍ୟାୟନ କରାଯାଇଛି।

ତଦନୁଯାୟୀ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ପାଇଁ ଏହା ଭିନ୍ନ ଭିନ୍ନ- ସହରାଞ୍ଚଳଗୁଡ଼ିକରେ ମାସକୁ ଏହା ହେଲା (୧) ପିଲାଙ୍କ ଯତ୍ନ ୧୨,୦୦୦ ଟଙ୍କା, (୨)ଘରର ଯତ୍ନ ୩୦୦୦ ଟଙ୍କା, (୩) ପରିବାରର ଆୟବ୍ୟୟର ହିସାବ, ତାହା ଖର୍ଚ୍ଚ ବରାଦ ଇତ୍ୟାଦି କାର୍ଯ୍ୟ ୪୦୦୦ ଟଙ୍କା, (୪) ପରିବାର ପାଇଁ (୩/୪ଜଣଙ୍କ) ରୋଷେଇ ୬୦୦୦ ଟଙ୍କା, (୫)ପରିବାରର ଶିଶୁ, ବୃଦ୍ଧାବୃଦ୍ଧ ଅନ୍ୟମାନେ ରୋଗାକ୍ରାନ୍ତ ହେଲେ ସେମାନଙ୍କ ସେବା ୬୦୦୦ଟଙ୍କା, (୬) ଘରେ ପିଲାମାନଙ୍କୁ ପାଠପଢ଼ାରେ ସାହାଯ୍ୟ କରିବା ୬୦୦୦ ଟଙ୍କା ଏବଂ (୭) ଗାଡ଼ିରେ ପିଲାମାନଙ୍କୁ ସ୍କୁଲକୁ ନେବା ଆଣିବା, ବଜାର ସଉଦା କିମ୍ବା ପରିବାରର ଅନ୍ୟମାନଙ୍କୁ ବଜାରକୁ ନେବା ୮୦୦୦ ଟଙ୍କା। ଅତଏବ ସମୁଦାୟ ଏହା ହେଲା ମାସିକ ୪୫,୦୦୦ ଟଙ୍କା। ଅନ୍ୟପକ୍ଷରେ ଗ୍ରାମାଞ୍ଚଳରେ ତାହା ମାସିକ (୧) ପିଲାଙ୍କ ଯତ୍ନ ୬୦୦୦ଟଙ୍କା,(୨) ଘରେ ସେମାନଙ୍କୁ ପାଠପଢ଼ାରେ ସାହାଯ୍ୟ ଇତ୍ୟାଦି ୫୦୦୦ଟଙ୍କା, (୩)ରନ୍ଧନ କାର୍ଯ୍ୟ (୩/୪ଜଣଙ୍କ ପାଇଁ) ୪୦୦୦ଟଙ୍କା, (୪)ଘରର ଯନତ୍ ଓ ଅନ୍ୟାନ୍ୟ ଘରୋଇ କାମ ୩୦୦୦ ଟଙ୍କା, (୫) ଅସୁସ୍ଥ ହୋଇଥିବା ପରିବାର ଲୋକଙ୍କ ଯତ୍ନ ୫୦୦୦ଟଙ୍କା ଏବଂ (୬) ସ୍ବାମୀ ତଥା ଅନ୍ୟମାନଙ୍କୁ ସେମାନଙ୍କ କାର୍ଯ୍ୟରେ ସାହାଯ୍ୟ ୬୦୦୦ଟଙ୍କା। ଅତଏବ ସମୁଦାୟ ତାହା ହେଲା ୨୯,୦୦୦ ଟଙ୍କା। ପ୍ରକୃତରେ ଏ ସବୁର ଊର୍ଦ୍ଧ୍ୱରେ ରହିଛି ଗୃହପତ୍ନୀଙ୍କର ପରିବାରବର୍ଗଙ୍କୁ ମାନସିକ ସ୍ତରରେ ସହାୟତା। ଉଦାହରଣ ସ୍ବରୂପ ଘରେ ତାଙ୍କ ଉପସ୍ଥିତି ରୋଗୀ, ଶିଶୁ, ବୃଦ୍ଧାବୃଦ୍ଧ ଆଦିଙ୍କୁ ଅସହାୟ ମନେକରିବାକୁ ଦିଏ ନାହିଁ। ସେମାନଙ୍କୁ ସର୍ବଦା ଅନୁଭବ କରିବାକୁ ଦିଏ ଯେ ସମୟ ଅସମୟରେ ସାହାଯ୍ୟ କରିବା ପାଇଁ ତାଙ୍କ ନିକଟରେ ଜଣେ ନିର୍ଭରଯୋଗ୍ୟ ବ୍ୟକ୍ତି ରହିଛନ୍ତି। ସେହିପରି ସ୍ବାମୀ କର୍ମକ୍ଷେତ୍ରରୁ ଏବଂ ପିଲାମାନେ ବିଦ୍ୟାଳୟରୁ ଫେରିଲା ପରେ ତାଙ୍କ ଉପସ୍ଥିତି ସେମାନଙ୍କ ମାନସିକ ଚାପ ଏବଂ ଶାରୀରିକ କ୍ଲାନ୍ତି ଦୂରକରିଥାଏ। ଏ ସବୁର ଆର୍ଥତ୍କ ମୂଲ୍ୟାୟନ ଅସମ୍ଭବ। ଅତଏବ, ଏଥିରୁ ସ୍ପଷ୍ଟ ଯେ ଜଣେ ଗୃହପତ୍ନୀଙ୍କ ମୂଲ୍ୟ ଅକଳନୀୟ।

  • Trending Tag

  • No Trending Add This News
google-add
google-add
google-add

INTERVIEWS AND PANEL DISCUSSION MIDDLE NEWS

PODCAST NEWS MIDDLE NEWS

VIDEOS

BEST OF EXPRESS

google-add

EMPLOYMENT

google-add

MORE-OPINION

google-add
google-add
google-add

THIS DAY IN THE HISTORY

google-add
google-add